← Back to Health News
Health News
ମହିଳାମାନଙ୍କ ମୁହଁରେ ଅବାଞ୍ଛିତ କେଶ କାହିଁକି ହୁଏ?
Posted on 12 January, 2026
ଭୁବନେଶ୍ୱର:ଅନେକ ମହିଳା ତାଙ୍କ ମୁହଁରେ ଅବାଞ୍ଛିତ କେଶ ଦେଖି ଚିନ୍ତିତ ହୋଇଥାନ୍ତି। ଓଠ ଉପରେ ମୋଟା କଳା କେଶ ବଢ଼ିବା ଏକ ସାଧାରଣ ସମସ୍ୟା, ଯାହା ସୌନ୍ଦର୍ଯ୍ୟ ସହିତ ଜଡ଼ିତ ହେଲେ ମଧ୍ୟ ଏହାର ମୂଳରେ ସ୍ୱାସ୍ଥ୍ୟଗତ କାରଣ ରହିଥାଏ। ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ହରମୋନ୍ର ଅସନ୍ତୁଳନ। ମହିଳାମାନଙ୍କ ଶରୀରରେ ପୁରୁଷ ହରମୋନ୍ ଅଳ୍ପ ପରିମାଣରେ ରହିଥାଏ। କିନ୍ତୁ ଏହାର ମାତ୍ରା ଅଧିକ ହେଲେ କିମ୍ବା ଶରୀର ଏହା ପ୍ରତି ଅଧିକ ସଂବେଦନଶୀଳ ହେଲେ କେଶ କୋଷଗୁଡ଼ିକ ସକ୍ରିୟ ହୋଇ ମୋଟା କେଶ ଉତ୍ପନ୍ନ କରିଥାଏ।ଏହି ହରମୋନାଲ୍ ଅସନ୍ତୁଳନର ସବୁଠାରୁ ସାଧାରଣ କାରଣ ହେଉଛି ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ (ପିସିଓଏସ୍)। ପିସିଓଏସ୍ରେ ଆଣ୍ଡ୍ରୋଜେନ୍ ହରମୋନ୍ ଅଧିକ ଉତ୍ପନ୍ନ ହୋଇଥାଏ, ଯାହା ଅନିୟମିତ ମାସିକ ଧର୍ମ, ଓଜନ ବଢ଼ିବା ଏବଂ ମୁହଁରେ ଅବାଞ୍ଛିତ କେଶ ସହିତ ଜଡ଼ିତ। ଅନ୍ୟ ଏକ କାରଣ ହେଉଛି ଥାଇରଏଡ୍ ଗ୍ରନ୍ଥିର ସମସ୍ୟା। ହାଇପୋଥାଇରଏଡିଜମ୍ ହେଲେ ହରମୋନ୍ର ସନ୍ତୁଳନ ବିଗିଡ଼ି କେଶ ବଢ଼ିଥାଏ। ମେନୋପଜ୍ ସମୟରେ ଈଷ୍ଟ୍ରୋଜେନ୍ ହରମୋନ୍ କମିବା ଦ୍ୱାରା ଆଣ୍ଡ୍ରୋଜେନ୍ର ପ୍ରଭାବ ଅଧିକ ଦେଖାଯାଏ। ଏହା ଛଡ଼ା କିଛି ଔଷଧ ଯେପରି ଷ୍ଟେରଏଡ୍,କୋର୍ଟିକୋଷ୍ଟେରଏଡ୍ କିମ୍ବା କେତେକ ବନ୍ଧ୍ୟାକରଣ ଔଷଧ ମଧ୍ୟ ଏହି ସମସ୍ୟା ସୃଷ୍ଟି କରିପାରେ।ଅଧିକ ଓଜନ ମଧ୍ୟ ଏହାର ଏକ ବଡ଼ କାରଣ। ମୋଟାପଣ ହେଲେ ଶରୀରରେ ଇନସୁଲିନ୍ ରେଜିଷ୍ଟାନ୍ସ୍ ହୋଇ ଆଣ୍ଡ୍ରୋଜେନ୍ ଉତ୍ପାଦନ ବଢ଼ିଥାଏ। ଏହା ପିସିଓଏସ୍ର ଲକ୍ଷଣକୁ ଆହୁରି ଖରାପ କରିଥାଏ। ଷ୍ଟ୍ରେସ୍ ମଧ୍ୟ ଏହାର ଭୂମିକା ନିର୍ବାହ କରିଥାଏ। ଅଧିକ ଚାପ ନେଲେ କର୍ଟିସୋଲ୍ ହରମୋନ୍ ବଢ଼ି ଆଣ୍ଡ୍ରୋଜେନ୍କୁ ପ୍ରଭାବିତ କରିଥାଏ। କେତେକ କ୍ଷେତ୍ରରେ ଜେନେଟିକ୍ କାରଣ ମଧ୍ୟ ରହିଥାଏ, ଯାହା ପାରିବାରିକ ଭାବେ ଦେଖାଯାଏ।ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ସୁସ୍ଥ ଖାଦ୍ୟ ସହ ଅଧିକ ଫଳ, ସବୁଜ ପରିବା,ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଓଜନ ନିୟନ୍ତ୍ରଣ କରିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ। ଯୋଗ ଓ ଧ୍ୟାନ ଷ୍ଟ୍ରେସ୍ କମାଇ ହରମୋନ୍ ସନ୍ତୁଳନ ରକ୍ଷା କରିଥାଏ। ଯଦି ଅବାଞ୍ଛିତ କେଶ ହଠାତ୍ ଅଧିକ ହେଉଛି କିମ୍ବା ଅନ୍ୟ ଲକ୍ଷଣ ଯେପରି ଅନିୟମିତ ମାସିକ, ଓଜନ ବଢ଼ିବା କିମ୍ବା ମୁହଁରେ ବ୍ରଣ ଦେଖାଯାଉଛି, ତେବେ ଅବହେଳା ନ କରି ଗାଇନେକୋଲୋଜିଷ୍ଟ କିମ୍ବା ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କୁ ଦେଖାନ୍ତୁ। ହରମୋନ୍ ଟେଷ୍ଟ କରାଇ ମୂଳ କାରଣ ଜାଣି ଚିକିତ୍ସା ନେବା ଉଚିତ୍। କେତେକ କ୍ଷେତ୍ରରେ ଔଷଧ ଦ୍ୱାରା ହରମୋନ୍ ନିୟନ୍ତ୍ରଣ କରାଯାଇଥାଏ।
ଅବାଞ୍ଛିତ କେଶ ଏକ ସ୍ୱାସ୍ଥ୍ୟଗତ ସଙ୍କେତ ହୋଇପାରେ। ତେଣୁ ଏହାକୁ କେବଳ ସୌନ୍ଦର୍ଯ୍ୟଗତ ସମସ୍ୟା ଭାବି ନ ଦେଖି ମୂଳ କାରଣ ଠାବ କରି ନିବାରଣ କରନ୍ତୁ। ସୁସ୍ଥ ଜୀବନଶୈଳୀ ଏବଂ ସମୟରେ ଚିକିତ୍ସା ଦ୍ୱାରା ଏଥିରୁ ମୁକ୍ତି ମିଳିପାରେ।